ଆଜିଠୁ ମହାପ୍ରଭୁଙ୍କ ଓଷ ଲାଗି ବିଧି
ସ୍ନାନପୂର୍ଣ୍ନିମାରେ ଅତ୍ୟଧିକ ସ୍ନାନ କରି ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା। ସମ୍ପୂର୍ଣ୍ଣ ଆୟୁର୍ବେଦ ପ୍ରଣାଳୀରେ ମହାପ୍ରଭୁଙ୍କ ଚିକିତ୍ସା ଜାରି ରହିଛି। ଗତକାଲି ଚତୁର୍ଦ୍ଧାବିଗ୍ରହଙ୍କ ଶରୀରରେ ଫୁଲୁରୀ ତେଲ ଲାଗିପରେ ଆଜିଠାରୁ ନବମୀ ତିଥି ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବାର ଵିଧି ରହିଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୂ ଜଗନ୍ନାଥ। ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ। ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ୟ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।
