୩୧ ଜଣ ନକ୍ସଲ ନିହତ
ଛତିଶଗଡ଼-ତେଲେଙ୍ଗାନା ସୀମାବର୍ତ୍ତୀ କାରେଗଟା ଜଙ୍ଗଲରେ ୨୦ ଦିନ ଧରି ଚାଲିଥିବା କମ୍ବିଂ ଅପରେସନ୍ ଶେଷ ହୋଇଛି। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲଙ୍କ ପ୍ରତି ଆକ୍ରମଣରେ ୧୮ ଯବାନ ଆହତ ହୋଇଛନ୍ତି। ସର୍ଚ ଅପରେସନ୍ ସମୟରେ ଜଙ୍ଗଲରୁ ୨୫୦ରୁ ଊର୍ଦ୍ଧ୍ବ ଲ୍ୟାଣ୍ଡମାଇନ୍ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କାରେଗଟା ଜଙ୍ଗଲରେ ନକ୍ସଲ ସଂଗଠନର ଟପ୍ କ୍ୟାଡର୍ ନେତା ଲୁଚିଥିବା ପୁଲିସ୍କୁ ସୂଚନା ମିଳିଥିଲା। ପୁଲିସ୍ ଓ ଯବାନ ମିଳିତ ଭାବେ ଏପ୍ରିଲ ୨୧ରୁ ଜଙ୍ଗଲରେ ଆରମ୍ଭ କରିଥିଲେ କମ୍ବିଂ ଅପରେସନ। ସିଆର୍ପିଏଫ୍ କୋବ୍ରା ବାହିନୀ, ଏସ୍ଟିଏଫ୍, ଗ୍ରେହାଉଣ୍ଡସ୍ କମାଣ୍ଡୋ ଓ ପୁଲିସ ଫୋର୍ସକୁ ମିଶାଇ ୧୦ ହଜାର ଯବାନ ୨୦ ଦିନ ଧରି ଜଙ୍ଗଲକୁ ଘେରି ରହିଥିଲେ। ୬୦ କିମି ପରିବ୍ୟାପ୍ତ ଜଙ୍ଗଲରେ ଚାଲିଥିବା ଅପରେସନ୍ରେ ୩୧ ନକ୍ସଲ ନିହତ ହୋଇଥିଲେ। ନିହତ ନକ୍ସଲଙ୍କ ମଧ୍ୟରେ ୧୬ ଜଣ ମହିଳା ଓ ୧୫ ଜଣ ପୁରୁଷ ରହିଛନ୍ତି। ୨୮ ନକ୍ସଲଙ୍କ ପରିଚୟ ମିଳିଥିବା ବେଳେ ୩ ଜଣଙ୍କର ପରିଚୟ ମିଳିପାରି ନାହିଁ।
