ପ୍ରବଳ ବର୍ଷା ଯୋଗୁଁ ସମଲେଶ୍ବରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀରରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲ୍ଲାପାଳ । ତେଣେ ସମଲେଶ୍ଵରୀ ମନ୍ଦିରରେ ପଶିଲା ବର୍ଷା ପାଣି । ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମା ହୋଇଛି । ମନ୍ଦିରର ଗର୍ଭ ଗୃହକୁ ବି ଛୁଇଁଛି ବର୍ଷା ଜଳ  । ବୁଧବାର ଠାରୁ ବଲାଙ୍ଗିରରେ ଲଗାଣ ବର୍ଷା ଯୋଗୁ ମନ୍ଦିରରେ ପାଣି ପସିଛି । ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ବି ଜାରି କରିଛି ଜରୁରୀକାଳୀନ ନମ୍ବର । ଅନ୍ୟପଟେ ତଳିଆ ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି  । ଘର ଭିତରକୁ ପାଣି ପଶିଛି । ରାତିରୁ ଲୋକଙ୍କ ସମସ୍ୟା ଦେଖାଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି ତରଫରୁ ବିଳମ୍ବିତ ରାତିରେ  ହିଁ ପଦକ୍ଷେପ ଗ୍ରହଣ କରାଯାଇଛି  । ଲୋକଙ୍କୁ ଉଦ୍ଧାର କରିବା ସହ ଜଳ ନିଷ୍କାସନ କରାଯାଉଛି  । ଲକ୍ଷ୍ମୀଜୋର ନାଳା ନିକଟରେ ଘର କରି ରହୁଥିବା ଲୋକଙ୍କ ଘରକୁ ପାଣି ପଶିଛି । ମ୍ୟୁନିସିପାଲିଟି ପକ୍ଷରୁ ରାତି ତମାମ ବର୍ଷା ଜଳ ନିଷ୍କାସନ କରାଯାଇଛି  । ଯେଉଁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି କଣ୍ଟ୍ରୋଲ ରୁମକୁ କଲ କରି ଜଣାଇବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।