ଆଜି ମହାକୁମ୍ଭର ଶେଷ ଦିନ
ଆଜି ମହାକୁମ୍ଭର ଶେଷ ଦିନ। ଆଜି ଶ୍ରଦ୍ଧାଳୁଙ୍କୁ ଅମୃତ ସ୍ନାନର ଶେଷ ସୁଯୋଗ ମିଳିବ । ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଖୁବ୍ ଅଧିକ ହେବାର ସମ୍ଭାବନା ରହିଛି । ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁଠୁ ନେଇ ରହଣୀ, ଖାଦ୍ୟ ସବୁ କିଛି ଟିକନିକି କରି ଦେଖୁଛି ପ୍ରୟାଗରାଜ ପ୍ରଶାସନ । ଶେଷ ସ୍ନାନ ଥିବାରୁ କୁମ୍ଭନଗରୀରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ପ୍ରୟାଗରାଜର ବିଭିନ୍ନ ଘାଟରେ ଶାନ୍ତିଶୃଙ୍ଖଳାରେ ସ୍ନାନ କରୁଛନ୍ତି । ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ସ୍ନାନ ଘାଟରେ ମୁତୟନ ହୋଇଛନ୍ତି ପୋଲିସ । ପୂରା ଅଞ୍ଚଳକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ଭିଡ଼ ପାଇଁ ଭିଭିଆଇପି ପ୍ରୋଟକଲକୁ ମଧ୍ୟ ରଦ୍ଦ କରାଯାଇଛି । ତେଣୁ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ ଗତକାଲି ସଂଧ୍ୟା ୫ଟାରୁ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଭାବେ ଘୋଷଣା କରାଯାଇଛି। ଜାନୁଆରୀ ୧୩ରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ୬୩ କୋଟି ଲୋକ ମହାକୁମ୍ଭରେ ବୁଡ଼ ପକାଇସାରିଲେଣି । ସାଧାରଣ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, ଫିଲ୍ମ ଷ୍ଟାର ସମସ୍ତେ ମହାକୁମ୍ଭରେ ସ୍ନାନ କରିଛନ୍ତି। ୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି । ସୂଚନାଯୋଗ୍ୟ ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜର ମହାକୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୨୦୨୭ରେ ଉତ୍ତରାଖଣ୍ଡରେ ଅର୍ଦ୍ଧ ମହାକୁମ୍ଭ ମେଳା ଆୟୋଜିତ ହେବ ।
