ଆସିବେ ଖଡ଼ଗେ, ଜୋରଦାର ଲଢ଼ିବ ରାଜ୍ୟ କଂଗ୍ରେସ

୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ

ସୋମବାର ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ନିର୍ବାଚନରେ ଜୋରଦାର ଲଢେଇ କରିବ କଂଗ୍ରେସ। ରାଜ୍ୟ କଂଗ୍ରେସକୁ ନୂଆ ପ୍ରଭାରୀ ମିଳିବା ପରେ ରାଜ୍ୟ କଂଗ୍ରେସର ଜୋସ ବଢିଛି । ଅଜୟ କୁମାର ରାଜ୍ୟ କଂଗ୍ରେସରେ ଜୋସ୍ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇ ସମାବେଶରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିଛି ପିସିସି । ଉଭୟ ବିଜେଡି ଓ ବିଜେପି ରାଜ୍ୟ ପାଇଁ ବିପଦ ବୋଲି ଅଭିଯୋଗ କରିଛି କଂଗ୍ରେସ । ଓଡ଼ିଶାକୁ ବଞ୍ଚାଇବା ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦାବି କରିଛି ଦଳ । ଖଡଗେଙ୍କ ସମାବେଶରେ ୫୦ ହଜାର କର୍ମୀ ଯୋଗ ଦେବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପଟେ ବିଜେପି ସମାଲୋଚନା କରି କହିଛି ଓଡ଼ିଶା ପାଇଁ ନୁହେଁ, ରାହୁଲଙ୍କ ଗସ୍ତ ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବାକୁ ଆସୁଛନ୍ତି ଖଡଗେ । ସେହିପରି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କେବଳ ନିର୍ବାଚନ ବେଳେ କଂଗ୍ରେସର ମନେପଡ଼େ ଓଡ଼ିଶା କଥା ।