ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢାଉ
ରାଜ୍ୟରେ ଆଳୁର ବଢୁଥିବା ଦରକୁ ନେଇ ବର୍ତ୍ତମାନ ଚିନ୍ତାରେ ଖାଉଟି । ବ୍ୟବସାୟୀଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଆଳୁ ଦିନକୁ ଦିନ ମହଙ୍ଗା ହେଉଛି । ସେହିପରି ଚଢା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।
ସୂଚନା ଅନୁସାରେ ଭୁବନେଶ୍ୱରରେ ୪ ନମ୍ବର ଓ କଟକର ଛତ୍ର ବଜାରର ଦୋକାନରେ, ଗୋଦାମରେ ଚଢାଉ କରାଯାଇଛି । ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ଯଦି ବିକ୍ରି କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଚେତାବନୀ ଦେଇଛନ୍ତି । ସେହିପରି ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବା ପାଇଁ ମଧ୍ୟ କୁହାଯାଇଛି । ସେପଟେ କଟକ ଛତ୍ର ବଜାରରେ ଆଜି ଆଳୁ ୫୦ ଟଙ୍କା କେଜି ବିକ୍ରି କରାଯାଉଥିଲା, ଖବର ପାଇଁ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ କରାଯାଇଥିଲା । ବର୍ତ୍ତମାନ ୪୫ ଟଙ୍କାର ଆଳୁ ବିକ୍ରି କରାଯାଉଛି । ସେହିପରି ରାଜ୍ୟରେ ଭରପୁର ଆଳୁ ଅଛି । ଆଜି ସକାଳେ ୫ଟି ଟ୍ରକ ଆସି ପହଞ୍ଚିଛି । ଆଳୁ କୁଇଁଟାଲ ପ୍ରତି ୩୭ କୁ ୩୮ ଶହ ରହିଛି । ସେହିପରି ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟକ୍ ରଖାଯାଇଥିବା ନେଇ ସୂଚନା ଦେଇଛି ଯୋଗାଣ ବିଭାଗ ।