ଖୁବ୍ ଶୀଘ୍ର ଓଡ଼ିଶା ହେବ ଫାର୍ମା ହବ୍

୨୧ଟି ନୂଆ NAC ସ୍ଥାପନ ପାଇଁ ନିଷ୍ପତ୍ତି: ମୁଖ୍ୟମନ୍ତ୍ରୀ

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଙ୍ଗଠିତ ଅପରାଧକୁ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡ଼ା ଯିବନାହିଁ । ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି । ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗାମୀ ଦିନରେ ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଏକ ଫାର୍ମା କନକ୍ଲେଭ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କ୍ଷେତ୍ରରେ ଅଢ଼େଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି କହିଛନ୍ତି ସିଏମ । ସେହିପରି ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ।

୮ KBK ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଏହି ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ଏହି ସୁବିଧା ମିଳିବ । ମୋଟ ୪୧ ହଜାର ୮୨ ମେଟ୍ରିକ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଆଗାମୀ ୫ ବର୍ଷରେ ‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ। ରାଜ୍ୟରେ ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ଲକ୍ଷ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ NAC ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି ।