୩୬ ଡିଗ୍ରୀ ଉପରେ ଭୁବନେଶ୍ୱର
ଏବେଠୁ କଲବଲ କଲାଣି ଖରା । ମାଘ ନ ସରୁଣୁ ଅସହ୍ୟ ତାତି । ଘରୁ ବାହାରକୁ ବାହାରିବା ହେଉଛି ମୁସ୍କିଲ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ତାତି ଆହୁରି ବଢ଼ିପାରେ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ସେପଟେ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟ୍ ୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
