୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା

ଲଘୁଚାପ ଦୁର୍ବଳ, ବର୍ଷା ପ୍ରବଳ

ଦୁର୍ବଳ ହୋଇଛି ଲଘୁଚାପ କ୍ଷେତ୍ର । ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି । ଅନ୍ୟପକ୍ଷରେ ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ବିକେନାରରୁ ବାହାରି ଗୁନା, ମାଣ୍ଡଲା, ରାଏପୁର ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶର କଳିଙ୍ଗାପାଟନମରୁ ଦକ୍ଷିଣ ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି) ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।