ଛୋଟ ଭୁଲ୍ ପାଇଁ ବ୍ୟବସାୟୀଙ୍କୁ ଆଉ ଯିବାକୁ ପଡ଼ିବନି ଜେଲ୍

ବିଧାନସଭାରେ ଗୃହୀତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ୍

ଛୋଟ ଭୁଲ୍ ପାଇଁ ଆଉ ଜେଲ୍ ଯିବାକୁ ପଡ଼ିବନି। ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ରାଜ୍ୟରେ ବ୍ୟବସାୟ କରିବା ଆହୁରି ସହଜ ହେବ। ଆଇନରେ ଆସିଲା ଏକ ବଡ଼ ସଂସ୍କାର। ବ୍ୟବସାୟ କ୍ଷେତ୍ରରେ ହେଉଥିବା ଛୋଟମୋଟ ଭୁଲ୍ ଭଟକା ପାଇଁ ଆଉ କାହାକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ବିଧାନସଭାରେ ଗୃହୀତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ୍ । କେନ୍ଦ୍ର ସରକାରଙ୍କ ‘ଜନ ବିଶ୍ୱାସ ଆଇନ’ ଢାଞ୍ଚାରେ ରାଜ୍ୟ ସରକାର ଏହି ବିଲ୍ ଆଣିଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ‘ବ୍ୟବସାୟିକ ସୁଗମତା’ବୃଦ୍ଧି କରିବା ଏବଂ ଅଯଥା ମାମଲାର ବୋଝ କମାଇବା। ପୂର୍ବରୁ ଓଡ଼ିଶାର ଆଇନ ବହୁତ କଡ଼ା ଥିଲା। କୌଣସି ଠକେଇ ଉଦ୍ଦେଶ୍ୟ ନଥାଇ ମଧ୍ୟ ଯଦି କାହା ଦ୍ୱାରା ନିୟମ ପାଳନରେ ସାମାନ୍ୟ ତ୍ରୁଟି କିମ୍ବା ପ୍ରକ୍ରିୟାଗତ ଭୁଲ୍ ହେଉଥିଲା, ତେବେ ତାଙ୍କୁ ଜେଲ୍ ଦଣ୍ଡ କିମ୍ବା ମୋଟା ଅଙ୍କର ଜରିମାନା ଦେବାକୁ ପଡୁଥିଲା। ଏହାଦ୍ୱାରା ଲୋକମାନେ ଭୟଭୀତ ହେଉଥିଲେ ଏବଂ କୋର୍ଟ-କଚେରୀ ମାମଲାରେ ଛନ୍ଦି ହେଉଥିଲେ। ନୂଆ ନିୟମରେ ଅନେକ କୋହଳ ମିଳିବ।ସରକାର ଶ୍ରମ, କୃଷି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଓ ବାଣିଜ୍ୟ ଭଳି ବିଭାଗର ୧୬ଟି ଆଇନର ସମୀକ୍ଷା କରି ୪ଟି ବଡ଼ ପରିବର୍ତ୍ତନ କରିଛନ୍ତି। ଛୋଟ ଅପରାଧ ପାଇଁ ଆଉ କାରାଦଣ୍ଡ ହେବ ନାହିଁ। ଏହା ବଦଳରେ କେବଳ କିଛି ଅର୍ଥ ଦଣ୍ଡ ଦେବାକୁ ପଡ଼ିବ। ଛୋଟମୋଟ ଉଲ୍ଲଙ୍ଘନଗୁଡ଼ିକର ସମାଧାନ ପାଇଁ କୋର୍ଟ ଯିବାକୁ ପଡ଼ିବନି, ଅଧିକାରୀମାନେ ପ୍ରାଶାସନିକ ସ୍ତରରେ ଏହାର ଫଇସଲା କରିବେ। ଅପରାଧୀ ଭାବେ ଦଣ୍ଡିତ କରିବା ବଦଳରେ, କେବଳ ନିୟମ ପାଳନ କରିବା ପାଇଁ ‘ଦେୱାନୀ ଜରିମାନା’ ଲାଗୁ ହେବ। ଆର୍ଥିକ ଜରିମାନା ଯେପରି ଅତ୍ୟଧିକ ନହୁଏ ସେଥିପାଇଁ ବ୍ୟବସ୍ଥା କରାଯିବ। ତେବେ ସରକାର ସ୍ପଷ୍ଟ କରିଛନ୍ତି କୋହଳ ନୀତି କେବଳ ଛୋଟ ଭୁଲ୍ ପାଇଁ ଉଦ୍ଦିଷ୍ଟ।ଯଦି କେହି ଜାଣିଶୁଣି ଠକେଇ କରନ୍ତି କିମ୍ବା ଯଦି କାହାର କାର୍ଯ୍ୟ ଯୋଗୁଁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ପରିବେଶ କିମ୍ବା ସମାଜର କ୍ଷତି ହୁଏ ତେବେ ପୁରୁଣା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ନ୍ୟାୟ ସଂହିତା ଭଳି ମୁଖ୍ୟ ଅପରାଧିକ ଆଇନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ନୂଆ ନିୟମ ଯୋଗୁଁ ରାଜ୍ୟରେ ବ୍ୟବସାୟିକ ପରିବେଶ ସୁଧୁରିବ ଏବଂ ଲୋକମାନେ ବିନା ଭୟରେ ସଚ୍ଚୋଟ ଭାବରେ ନିଜ ବ୍ୟବସାୟ କରିପାରିବେ ବୋଲି ଆଶା କରାଯାଉଛି। ବିନା ବିଳମ୍ବରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାରକୁ ତୁରନ୍ତ ଲାଗୁ କରିବା ଉଦ୍ଦେଶ୍ୟରେ ପୂର୍ବରୁ ଏହି ବିଲ ଅଧ୍ୟାଦେଶ ଜରିଆରେ ରାଜ୍ୟରେ ଲାଗୁ ହୋଇ ସାରିଛି । ଏବେ ଏହି ବିଲ ଗୃହୀତ ହେବା ପରେ ଆଇନରେ ପରିଣତ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *