ସରିଲା +2 ପରୀକ୍ଷା, ମେ’ ୧୫ ସୁଦ୍ଧା ରେଜଲ୍ଟ

ମେ’ ୧୫ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି। ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୨ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ କଡ଼ା ନଜର ରହିବ। ପରୀକ୍ଷା ଫଳ ପାଇଁ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଅପେକ୍ଷା କରିବେ।  ସିଏଚ୍‌ଏସ୍‌ଇ ପରୀକ୍ଷା ସରିଥିବାବେଳେ ମୋଟ ୩୦୦ ଜଣ  ବିଦ୍ୟାର୍ଥୀ କପି କରି ଧରା ପଡ଼ିଛନ୍ତି। ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି। ଏକ୍‌ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡ଼ିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ। ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ଶିକ୍ଷକମାନେ ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ଟି ଖାତା ଦେଖିପାରିବେ ଶିକ୍ଷକ। ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ।