ଝାଡ଼ଖଣ୍ଡ ପ୍ରଚାର ମୈଦାନରେ ଓଡ଼ିଶା ନେତା
ଝାଡ଼ଖଣ୍ଡ ପ୍ରଚାର ମୈଦାନରେ ଓଡ଼ିଶା ନେତା। ଉଭୟ ବିଜେପି, କଂଗ୍ରେସର ହେଭିୱେଟ ଏବେ ଝାଡ଼ଖଣ୍ଡରେ ଡେରା ପକାଇଛନ୍ତି। ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରିଛନ୍ତି। ଶୁକ୍ରବାର ଧର୍ମେନ୍ଦ୍ର ଝାଡ଼ଖଣ୍ଡର ଚାଇଁବସା ଏବଂ ଚକ୍ରଧରପୁରରେ ବିଶାଳ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ବିଜେପିର ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ଝାଡ଼ଖଣ୍ଡରେ ଡେରା ପକାଇଛନ୍ତି। ବିଶେଷ କରି ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ଝାଡ଼ଖଣ୍ଡରେ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ରାଜ୍ୟ ତଥା ଜାତୀୟ ସ୍ତରରରେ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ଚେହେରା ହୋଇଥିବାରୁ ତାଙ୍କ ପ୍ରଚାର ଝାଡ଼ଖଣ୍ଡ ବିଜେପିକୁ ବେଶ ସୁହାଇବ ବୋଲି କୁହାଯାଉଛି ।
ସେହିପରି ଝାଡ଼ଖଣ୍ଡରେ କଂଗ୍ରେସକୁ ବଳ ଦେବା ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ଓଡ଼ିଶା କଂଗ୍ରେସର ବଛାବଛା ନେତା। ଝାଡ଼ଖଣ୍ଡରେ କଂଗ୍ରେସ ସରକାର ବଜାୟ ରଖିବାକୁ ଜୋରଦାର ପ୍ରୟାସ କରୁଛି। ଏଥିପାଇଁ ରାଜ୍ୟ କଂଗ୍ରେସ ନେତୃତ୍ୱ ବି ଝାଡ଼ଖଣ୍ଡରେ ପ୍ରଚାରର ମଙ୍ଗ ଧରିଛନ୍ତି। ଜାମସେଦପୁର ଇଷ୍ଟରୁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ନେତା ମହମ୍ମଦ ମୋକ୍କିମ ପ୍ରମୁଖ ପ୍ରଚାର କରୁଛନ୍ତି।
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ଲୋକ ସଂଖ୍ୟା ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଏବଂ ମୋଟ ୮୧ଟି ବିଧାନସଭା ଆସନରୁ ୧୮ ଟି ସିଟ୍ରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଏହିସବୁ ସ୍ଥାନରେ ଓଡ଼ିଆ ନେତା ଧରିଛନ୍ତି ପ୍ରଚାରର ମଙ୍ଗ, ଯାହା ଝାଡ଼ଖଣ୍ଡ ନିର୍ବାଚନୀ ରଣନୀତିକୁ ସରଗରମ କରିଛି।