ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ !
ଓଡ଼ିଶାକୁ ଏବେ ଘାରିଛି ଡେଙ୍ଗୁ ଭୟ । ଚଳିତ ବର୍ଷ ଡେଙ୍ଗୁ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ୨୦୨୩ ଅଗଷ୍ଟ ୧୬ ତାରିଖ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହାଜର ଟପିଲାଣି । ଏଯାଏଁ ମୋଟ ୨ ହଜାର ୧୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି ଯାହା ଏବେ ସଭିଙ୍କୁ ଚିନ୍ତାରେ ପକାଇଛି । ସବୁଠୁ ବଡ କଥା ହେଲା କି ରାଜ୍ୟରେ ସର୍ବାଧିକ ଡେଙ୍ଗୁ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ତେବେ ଚଳିତ ବର୍ଷ ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଓ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ୫ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ତିନି ଅଙ୍କ ଡେଇଁଛି। ଏବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ିଛି । ତେବେ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଲୋକମାନେ ସତର୍କ ରହିଲେ ଡେଙ୍ଗୁକୁ ରୋକାଯାଇ ପାରିବ ।
