ବିକାଶ ନା ଭୋଟ୍ ଚିନ୍ତା

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ

ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା । କେଉଁଟି ଚାଲୁଛି ତ ଆଉ କେଉଁଟିର ଖାତା ଖତିଆନରୁ ନାଁ ଉଠିଗଲାଣି । କିନ୍ତୁ ଯୋଜନାର ସଂଖ୍ୟା ଦିନକୁ ଦିନ ବଢିବାରେ ଚାଲିଛି । ଏହାରି ଭିତରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ଓ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ  ତୁଷ୍ଟୀକରଣ ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୨୦୧୮ ମସିହାର ‘ଆମ ଗାଁ ଆମ ବିକାଶ’ ଯୋଜନାର ସଂଶୋଧିତ ରୂପରେଖକୁ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ରେ ନୂତନ ସଂଶୋଧିତ ରୂପରେଖକୁ ମଞ୍ଜୁରୀ ଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ୪ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଅନୁମତି ଦେଇଛନ୍ତି । ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଏବଂ ପ୍ରତ୍ୟେକ ପ୍ରକଳ୍ପର ପରିମାଣର ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ପଂଚାୟତ ସମିତି ଦ୍ୱାରା ବିଭାଗୀୟସ୍ତରରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଅର୍ଥାତ୍ ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ପ୍ରକଳ୍ପର କାମ ରହିବ, ଯାହାକୁ ସ୍ଥାନୀୟ ଶାସକ ଦଳର କର୍ମୀମାନେ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ମାତ୍ର ଏହା ସତରେ ପଞ୍ଚାୟତର ଉନ୍ନତି କାମରେ ଲାଗୁଛି ନା ବଡବଡିଆଙ୍କ ପକେଟ ଖର୍ଚ୍ଚ ପାଲଟୁଛି ତାହା ଦେୟକିବାକୁ ବାକି ରହିଲା ।