୨୮ ନୂଆ ଜିଲ୍ଲା ଦାବି ହୋଇଛି: ସୁଦାମ ମାର୍ଣ୍ଡି

‘୨୮ଟି ନୂଆ ଜିଲ୍ଲା ଗଠନ ଦାବି’

ରାଜ୍ୟରେ ଆଉ ୨୮ଟି ନୂଆ ଜିଲ୍ଲା ଗଠନ ଦାବି । ନୂଆ ଜିଲ୍ଲା ଗଠନ ପାଇଁ ସରକାରଙ୍କ ପାଖକୁ ଆସିଛି ଦାବିପତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ପଦ୍ମପୁର, ଧର୍ମଗଡ଼, କଣ୍ଟାବାଞ୍ଜି ସହ ୨୮ ନୂଆ ଜିଲ୍ଲା ଦାବି ହୋଇଛି ବୋଲି କହିଛନ୍ତି ସୁଦାମ ମାର୍ଣ୍ଡି । ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି ୫ଟି ଜିଲ୍ଲା ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ କରିବା ପାଇଁ ସରକାରଙ୍କ ପାଖକୁ ଦାବି ଆସିଛି । ସେହିପରି ଗଞ୍ଜାମ ଜିଲ୍ଲାକୁ ଭାଙ୍ଗି ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଞ୍ଜନଗର ଜିଲ୍ଲା କରିବା ପାଇଁ ଦାବି ହୋଇଛି । ସେହିପରି ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ତେବେ ଏନେଇ ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।