ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି

ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର କଲେ ଭକ୍ତ ଦାସ

ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ବଡ଼ ଘୋଷଣା । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସ ଏକ ପ୍ରେସ୍‌ ରିଲିଜ୍‌ ଜାରି କରିଛନ୍ତି । ଏହି ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ସେ ପୁଣି ଥରେ ପୁରୁଣା କଂଗ୍ରେସ ନେତା ଓ କର୍ମୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।ଜାରି ହୋଇଥିବା ପ୍ରେସ୍‌ ରିଲିଜରେ ଲେଖା ରହିଛି କି, “ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲି ଯାଇଛନ୍ତି ସେମାନେ ପୁଣିଥରେ କଂଗ୍ରେସକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।”

ତେବେ ଭକ୍ତ ଦାସଙ୍କ ଏହି ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ଭକ୍ତଙ୍କ ଏଭଳି ଆଭିମୁଖ୍ୟ ସୁଦୃଢ଼ ବିରୋଧୀ ଦଳର ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏମିତିକି ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହେବା ପରେ ଭୁବନେଶ୍ୱରରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂକଳ୍ପ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦଯାତ୍ରାକୁ ସୁପରିଚାଳନା କରିବାକୁ ଏକ ୧୭ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି । ଏହି ସଂକଳ୍ପ ଯାତ୍ରା କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।