‘ପ୍ରଗତିର ମୁଖଶାଳା ପାରାଦୀପ’
ପାରାଦୀପ ହେଉଛି ପ୍ରଗତିର ମୁଖଶାଳା । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟିତ କରି ଏଭଳି କହଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧବ ପୁଅଙ୍କ ନୌବାଣିଜ୍ୟ କଥା ଆମର ଗର୍ବ ଓ ଗୌରବ । ପାରାଦୀପର ନାମ ସ୍ମରଣ କଲେ ଦେହରେ ଶିହରଣ ସୃଷ୍ଟି ହୁଏ । ଯେଉଁଠି ଦିନେ ହେନ୍ତାଳ ବଣ ଥିଲା, ସେଠି ଆଜି ପରିପୂର୍ଣ୍ଣ ଆଧୁନିକ ପାରାଦୀପ ବନ୍ଦର ଛିଡ଼ା ହୋଇଛି । ଭାରତରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ପାରାଦୀପ ବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ । ନୂଆ ନୂଆ ନିବେଶ ସହ ଏଠାକାର ଯୁବପିଢି ନିଯୁକ୍ତି ପାଇବେ । ମୁମ୍ବାଇ ପରେ ସରକାର ସିଙ୍ଗାପୁର ଯାଇ ନିବେଶକଙ୍କୁ ନିମନ୍ତ୍ରଣ ଦେବେ । ପୋର୍ଟ ବେସ୍ଡ ଶିଳ୍ପ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୨୦୩୬ ବେଳକୁ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବା ଲକ୍ଷ୍ୟ ରଖିବା ସହ ବିଶ୍ଵ ମାନଚିତ୍ରରେ ପାରାଦୀପ ପାଇଁ ଓଡ଼ିଶା ମଧ୍ୟ ପରିଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।