ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ୫ ହଜାର
ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାନସଭାରେ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । ସହିଦ ମାଧୋ ସିଂ ଯୋଜନା ଅନ୍ତର୍ଗତ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ ।