ଆଜିଠୁ ବିଧାନସଭା ବଜେଟ ଅଧିବେଶନ
ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ । ଗୃହରେ ଶୋକପ୍ରସ୍ତାବ ରଖିବେ ମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ରହିଛି ୭ଟି କାର୍ଯ୍ୟଦିବସ । ୮ରେ ଆଗତ ହେବ କାମଚଳା ବଜେଟ । ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ । ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ । ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡ଼ିଛନ୍ତି । ସେପଟେ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସିଛି । ଅର୍ପଣ ରଥ, ଓଡ଼ିଆ ଭାଷା ପ୍ରଚାର ନାଁରେ ମହାମନିଷୀଙ୍କୁ ଅପମାନ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । କଂଗ୍ରେସ ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ଧର୍ମକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ ଆଣିବା ସହ ଏକଥା ଗୃହରେ ଉଠିବ ବୋଲି କହିଛି ।
