ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ୟ୍ୟାଦାର ସହ ଶାନ୍ତିଲତାଙ୍କର ହେବ ଶେଷକୃତ୍ୟ

ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥଙ୍କ ହଜାର ହଜାର ଭଜନ ଗାଇ ସେ ଓଡିଆଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ୟ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲ୍‌ଥ୍‌ ଚେକ୍‌ଅପ୍‌ ପରେ କ୍ୟାନ୍‌ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତା’ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ମହାମାରୀ କୋଭିଡ୍‌ ପରେ ଅର୍ଥାତ ୨୦୨୨ ମସିହାରେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ ଶାନ୍ତିଲତା ବାରିକ। ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ ନେଇଥିଲେ। ଚିକିତ୍ସା ପରେ ୨୦୨୩ ସେପ୍ଟେମ୍ୱର ମାସରେ ଘରକୁ ଫେରିଥିଲେ। ତା’ପରେ ଓଡ଼ିଶାର ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି ।