ଓଡ଼ିଆ ନବବର୍ଷ ପଛର ପୌରାଣିକ କଥା
ଓଡ଼ିଶାର ସଂସ୍କୃତି ପ୍ରଥା ପରମ୍ପରା ସ୍ବତନ୍ତ୍ର ଆଉ ଭିନ୍ନ । ଆମେ ବାର ମାସେ ତେର ପର୍ବ ପାଳନ କରୁ । ସେହିପରି ଓଡ଼ିଆମାନେ ଆଜିର ଦିନକୁ ନବ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ ଏବଂ ଆଜି ବୀର ବଜରଙ୍ଗୀ ହନୁମାନଙ୍କର ଜନ୍ମ ଜୟନ୍ତୀ ଦିବସ ମଧ୍ୟ । ଆଜିର ଦିନର ଅନେକ ମହତ୍ୱ ଏବଂ ବିଶେଷତ୍ୱ ରହିଛି । ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ପୂଜାର୍ଚ୍ଚନା କରାଯାଏ । ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ । ଦହି, କଦଳୀ, ଛେନା, ନଡ଼ିଆରେ ପ୍ରସ୍ତୁତ ପଣା ତୁଳସୀ ଚଉରା ପାଖରେ ଭୋଗ ଲାଗି କରାଯାଏ ।
ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶତାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କଠାରୁ ଚଳିଆସୁଥିବାର ଅନୁମାନ କରାଯାଏ । ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ସେହିପରି ଓଡ଼ିଆ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ ଏବଂ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ପଣା ଲାଗି କରାଯାଏ ।
ଆଜି ଦିନର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । ଏହି ମାସରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବଢିଥାଏ । ଅତ୍ୟଧିକ ଖରାରୁ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ । ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଟକୁ ଏହି ଦିନ ଶେଷ କରାଯାଏ । ଏହି ଦିନ ମେରୁ ଯାତ ପାଳନ କରାଯାଏ ।
