ଗିରଫ ହେଲେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ

ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ ହେଲେ ମୌସୁମୀ

ଗିରଫ ହେଲେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ । ମୌସୁମୀଙ୍କୁ ଗିରଫ କଲା ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି । ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ।

ସୂଚନା ଅନୁସାରେ, ଅଭିନେତ୍ରୀ ମୌସୁମୀ ଆଜି ହାଇଦ୍ରାବାଦରୁ ସୁଟିଂରୁ ଫେରିବା ପରେ ଚନ୍ଦକାସ୍ଥିତ ତାଙ୍କ ଆପାର୍ଟମେଂଟରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୮୫, ୨୯୪, ୫୦୬ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ବନସ୍ମିତାଙ୍କ ସାମାଜିକ ପ୍ରତିଷ୍ଠାକୁ ସୋସିଆଲ ମିଡିଆ ମାଧ୍ୟମରେ ଖରାପ କରିବାକୁ ପ୍ରୟାସ କରିବା ଓ ଜବରଦସ୍ତି ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ମୌସୁମୀଙ୍କ ବିରୁଦ୍ଧରେ ରହିଛି । ଯାହାକୁ ଆଧାର କରି ପୋଲିସ ଆଜି ମୌସୁମୀଙ୍କୁ ଗିରଫ କରିଛି ।