ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ନିଷ୍ପତ୍ତି ସ୍ଥଗିତ

ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଲା ଓଏଏସ ସଂଘ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଛି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଛି । ତା ସହ ସରକାରୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ସୁରକ୍ଷା ଦିଆଯାଉ ବୋଲି ଦାବି କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର ଆଉ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି।

ସଂଘର ଏହି ଦାବିକୁ ଓଡ଼ିଶା ଆଇଏଏସ୍ ଆସୋସିଏସନ୍ ମଧ୍ୟ ସମର୍ଥନ ଜଣାଇଥିଲା । ଓଏଏସ୍ ଆସୋସିଏସନ ଯେଉଁ ନିଷ୍ପତ୍ତି ନେଇଛି ତାକୁ ସମର୍ଥନ ଦେବା ସହ ଏଭଳି ଘଟଣାକୁ ନିନ୍ଦା କରାଯାଇଥିଲା । ଏପଟେ ଘଟଣା ପ୍ରତିବାଦରେ ଗତକାଲି ବିଏମସି ଅଫିସ ଆଗରେ ସଂଧ୍ୟାରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି। ପରେ ରାସ୍ତାଘାଟ ଜାମ୍ ହେବାରୁ ବିଜେଡି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ। ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟମାନଙ୍କୁ ପୋଲିସ ଉଠାଇ ନେଇଥିଲା। ପରେ ଜନପଥରେ ସ୍ୱାଭାବିକ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।