ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଓଏଏସ୍‌ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଆଜିଠୁ କାର୍ଯ୍ୟରେ ଯୋଗଦେବେ OAS

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହେଲା ପରେ ଓଏଏସ୍‌ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍‌ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆଜିଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଏଥି ସହିତ ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।