ରାଜନୀତିକୁ ଆସିବେ ଜୁନିଅର ଢୋଲକିଆ

ନୂଆପଡ଼ାରେ ବିଜେଡିରୁ ଲଢିବେ ଢୋଲକିଆଙ୍କ ପୁଅ

ରାଜନୀତିକୁ ଆସିବେ ଜୁନିଅର ଢୋଲକିଆ । ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ କହିଛନ୍ତି, ତାଙ୍କୁ ବିଜେଡି ସୁପ୍ରିମୋଙ୍କ ଠାରୁ ଗ୍ରୀନ ସିଗନାଲ ମିଳିଛି । ସେ ଆଗାମୀ ଉପନିର୍ବାଚନରେ ବିଜେଡିରୁ ହିଁ ପ୍ରାର୍ଥୀ ହେବେ ବୋଲି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟ ଢୋଲକିଆ । ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ କରିଛନ୍ତି । ବିଜେଡି ଉପରେ ତାଙ୍କ ପରିବାରର ଆସ୍ଥା ଓ ବିଶ୍ଵାସ ରହିଛି । ଏବେ ଜୟ ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ବୁଲି ଜନସମର୍ଥନ ଜୁଟାଉଛନ୍ତି ।ସେ ଆଗାମୀ ଉପନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ।

ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ପଡ଼ିଛି । ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ୪ ଥର ବିଧାୟକ ହୋଇଥିଲେ । ବିଗତ ଦିନରେ ପୁଅ ଜୟଙ୍କୁ ରାଜେନ୍ଦ୍ର ଢୋଲକିଆ ତାଙ୍କ ରାଜନୈତିକ ଉତ୍ତାରାଧିକାରୀ ଭାବେ ପ୍ରୋଜେକ୍ଟ କରି ଆସୁଥିଲେ ।ରାଜେନ୍ଦ୍ରଙ୍କ ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଶଙ୍ଖ ଚିହ୍ନ ସହ ନବୀନଙ୍କ ଫଟୋ ରଖି ରାଜେନ୍ଦ୍ର ଢୋଲକିଆ ନିଜ ପୁଅ ଜୟ ଢୋଲକିଆଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏପରିକି ଜୟ ଢୋଲକିଆଙ୍କ ଦେଇଥିବା ଭାଷଣକୁ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରିଛନ୍ତି । ବିଜେଡିରୁ ଜୁନିଅର ଢୋଲକିଆ ପ୍ରାର୍ଥୀ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଏହି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇନଥିଲେ ମଧ୍ୟ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ କସରତ ଆରମ୍ଭ ହୋଇଯାଇଛି ।