ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ, ଆସିଲା ବିଜ୍ଞପ୍ତି
ଓଡ଼ିଶା ୟୁନିଫର୍ମ (ପୋଷାକ) ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ନିୟମାବଳି ଜାରି କରିଛନ୍ତି ରାଜ୍ୟ ସରକାର। ୟୁନିଫର୍ମ ସେବାରେ ସଂରକ୍ଷଣ ଏବଂ ବୟସ ସୀମାରେ କୋହଳକୁ ନେଇ ନିୟମାବଳି ସମ୍ପର୍କିତ ଅଧିସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ପୂର୍ବରୁ ଗତ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁନିଫର୍ମ ସେବା କ୍ଷେତ୍ରରେ ଓଡ଼ିଶାର ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବା ସହ ୫ ବର୍ଷ ବୟସସୀମା କୋହଳ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଏହି ଅନୁସାରେ ଅଧିସୂଚନା ଜାରି ହୋଇଛି।
ଅଧିସୂଚନା ଅନୁସାରେ, ଓଡ଼ିଶାର ୟୁନିଫର୍ମ ସେବା ଅର୍ଥାତ୍ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ସହିତ ଅଗ୍ନିବୀରଙ୍କ ପାଇଁ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ।ସେହିପରି ରାଜ୍ୟର ‘ଗ’ ଓ ‘ଘ’ ବର୍ଗର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ଲାଗି ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ। ଏଥିସହ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ।କାରଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ,ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି।ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି।