ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନିର୍ଦ୍ଦେଶ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବଢିଲା ଅଡୁଆ। ହାଜର ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାରଙ୍କ ହାଇଲେବୁଲ୍ କମିଟି। ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶରେ ଜାରି କରାଯାଇଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାକୁ ନେଇ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି। ବିଧାନସଭା ହୋ-ହଲ୍ଲା ପରେ ହାଇଲେବୁଲ୍ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଏହି କମିଟି ବିଭିନ୍ନ ଦିଗରୁ ତଦନ୍ତ କରୁଛି। କେଉଁ କାରଣ ପାଇଁ ଛାତ୍ରୀ ଆତ୍ମହତ୍ୟା କଲେ? ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କ’ଣ ଭୂମିକା ରହିଛି? କ’ଣ ପାଇଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିଲା? ଏପରି ବିଭିନ୍ନ ଦିଗରୁ ତଦନ୍ତ କରୁଛି ହାଇଲେବୁଲ କମିଟି। ସେଥିପାଇଁ ଶ୍ରୀ ସାମନ୍ତଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି ହାଇଲେବୁଲ୍ କମିଟି।
