ଏନଓସି ନହେଲେ ମିଳିବନି ପୂଜା ଆୟୋଜନ ଅନୁମତି

କଟକରେ ପୂଜା ପେଣ୍ଡାଲ ପାଇଁ ଏନଓସି ବାଧ୍ୟତାମୂଳକ

କଟକରେ ପୂଜା ପେଣ୍ଡାଲ ପାଇଁ ଏନଓସି ନେବାକୁ ବାଧ୍ୟ। ନହେଲେ ମିଳିବନି ଆୟୋଜନ ଅନୁମତି। ପୂଜା ପେଣ୍ଡାଲ ଓ ଭସାଣୀ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ। ପ୍ରସ୍ତୁତି ବୈଠକରେ ସୂଚନା ଦେଲେ କଟକ ଜିଲ୍ଲାପାଳ।କେବଳ ପୂଜା ପେଣ୍ଡାଲ ନୁହେଁ, ରାବଣ ପୋଡି, ମୀନାବଜାର, ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିବା ଆବଶ୍ୟକ । ଭସାଣୀ ଶୋଭାଯାତ୍ରାରେ ଖଣ୍ଡା, ଲାଠି ଆଦି ବ୍ୟବହାର ନିଷେଧ । ପୂଜା ନିମେନ୍ତ କୌଣସି ପ୍ରକାରର ଚାନ୍ଦା ଆଦାୟ ହୋଇ ପାରିବନି।ରାବଣ ପୋଡି ନିମନ୍ତେ ୫୦ ମିଟର ଲମ୍ବା ଏକ ଖାଲି ସ୍ଥାନ ଉପଲବ୍ଧ ଥିବା ଜରୁରୀ। ସର୍ବସାଧାରଣ ଟ୍ରାଫିକ ଯାତାୟତରେ ଯେଭଳି କୌଣସି ବାଧା ନ ଉପୁଜେ ସେସବୁକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ, ଯାନବାହନ ପାର୍କିଂ ପାଇଁ ସ୍ଥାନ, ଶୌଚାଳୟ, ସିସିଟିଭି ଲଗାଇବା, ଓଆରଏସ୍ ଉପଲବଧ କରାଇବା, ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।ଏଥିସହ ଲେଜର ଲାଇଟ ବ୍ୟବହାର ଓ ଡିଜେ ସମ୍ପୁର୍ଣ୍ଣ ନିଷେଧ ହେବ। ପୂଜା ଓ ଭଷାଣୀ ସମୟରେ ଚୋରାମଦ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପୂଜା କମିଟି କର୍ମକର୍ତା ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯିବା ସହ ଭାରପ୍ରାପ୍ତ ଥାନା ଅଧିକାରୀମାନଙ୍କଠାରୁ ପୂଜା ପେଣ୍ଡାଲଗୁଡିକର ବିବରଣୀ ନେଇ ସେହିସବୁ ସ୍ଥାନରେ ଅଗ୍ନି ନିରାପତା ସଂକ୍ରାନ୍ତରେ ନିଆଯାଇଥିବା ପଦକ୍ଷେପ ଏବଂ ବିଦ୍ୟୁତ୍ ସଂଯୋଗ ସଂପର୍କିତ ନିଆଯାଇଥିବା ପଦକ୍ଷେପଗୁଡିକ ଯାଂଚ କରିବାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦିଆଯାଇଛି ।