ପୁରୀ ବଡ଼ଦାଣ୍ଡରେ ଆଉ ବିକ୍ରି ହେବନି ଆମିଷ କିମ୍ବା ମଦ
ଶ୍ରୀକ୍ଷେତ୍ରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ପୁରୀ ବଡ଼ଦାଣ୍ଡରେ ଆଉ ବିକ୍ରି ହେବନି ଆମିଷ କିମ୍ବା ମଦ । ଏହାକୁ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରୀମନ୍ଦିରକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, “ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଏହା କିପରି ହେବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ଦୁଇ କିମି ପରିଧିରେ ରହିବନି ମଦ ଦୋକାନ କିମ୍ବା ବାର ଏବଂ ବଡ଼ଦାଣ୍ଡରେ ବି ମଧ୍ୟ ମଦ ଦୋକାନ ଏବଂ ଆମିଷ ବିକ୍ରି ବନ୍ଦ କରାଯିବ । ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ । ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଉଚ୍ଚତା ଏବଂ ଲୁକ୍ କିପରି ଏକା ହେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି।
