ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ଦଶମ ଇନିଂସ୍
ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ଐତିହାସିକ ଗାନ୍ଧୀ ମଇଦାନରେ ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିହାର ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଶପଥଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।ବୁଧବାର ବିହାର ବିଧାନସଭାର ସେଣ୍ଟ୍ରାଲ ହଲ୍ରେ ହୋଇଥିବା ଏନ୍ଡିଏ ବୈଠକରେ ବିଜେପିର ସମ୍ରାଟ ଚୌଧାରୀଙ୍କ ପ୍ରସ୍ତାବକ୍ରମେ ନୀତୀଶ କୁମାର ସର୍ବସମ୍ମତିକ୍ରମେ ଏନ୍ଡିଏର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ। ଏନଡିଏ ବୈଠକ ପରେ ନୀତୀଶ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ଏହା ପୂର୍ବରୁ ଆଜି ପାଟନାରେ ଜେଡିୟୁର ନବନିର୍ବାଚିତ ବିଧାୟକମାନଙ୍କ ପୃଥକ ବୈଠକରେ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧାରୀ ଓ ବିଜୟ ସିହ୍ନାଙ୍କୁ ଯଥାକ୍ରମେ ନେତା ଏବଂ ଉପନେତା ଭାବେ ନିର୍ବାଚିତ କରାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ନୀତୀଶ କୁମାରଙ୍କ ସହ ଆଜି ୨୨ ଜଣ ମନ୍ତ୍ରୀ ଶପଥ ନେବେ। ଏନ୍ଡିଏର ସହଯୋଗୀ ଦଳ ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି, ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇପାରନ୍ତି। ବିଜେପିକୁ ଚଳିତ ଥର ସିଂହଭାଗ ମନ୍ତ୍ରୀ ପଦ ମିଳିପାରେ।
