ଗ୍ରହଣ ସର୍ଵମୋକ୍ଷ ପରେ ରାତି ୨ଟା ପରେ ମାର୍ଜନା

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ରହିଥିବା ବେଳେ ସର୍ବମୋକ୍ଷ ରାତି ୧ ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିଛି ।ଏହାକୁ ଦୃଷ୍ଟିରେ ରଖି ରାତି ୨ଟାରେ ଦ୍ୱାରଫିଟା ନୀତି କରାଯାଇଛି । ଏଥିସହ ସାଢ଼େ ୨ଟାରେ ଭିତର ଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି, ମଇଲମ ଓ ତଡ଼ପଲାଗି ୩ଟା, ଅବକାଶ ଓ ରୋଷହୋମ ସାଢ଼େ ୩ଟାରେ କରାଯାଇଛି । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସରିବା ପରେ ଭୋର ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ ସମ୍ପନ୍ନ ହୋଇଛି ।

୬ଟା ୧୫ ରେ ମଇଲମ, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ ହୋଇ ସକାଳ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇଛି।ସକାଳ ସାଢେ ୯ଟାରେ ଦକ୍ଷିଣୀ ଘର ଭୋଗ, ସାଢେ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଦ୍ଵିତୀୟ ଭୋଗମଣ୍ଡପ, ମଇଲମ, ୧୧ଟା ୧୫ରେ ସନ୍ଧ୍ୟା ଆଳତି ହେବ। ଏବଂ ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ର ହାତୀ ପ୍ରସ୍ତାବ ରହିଛି। ତେଣୁ ସାଢ଼େ ୧୧ଟାରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିବେ । ୧୧ଟା ୪୫ରେ ଆଜ୍ଞାମାଳ ପାଇ ପାଲିଙ୍କିକୁ ବିଜେ କରିବେ । ୧୨ଟାରେ ପାଲିଙ୍କି ଉଠିବ । ସାଢ଼େ ୧୨ ଟା ସୁଦ୍ଧା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସାରି ବାହୁଡ଼ା ବିଜେ କରିବେ। ମଇଲମ ଓ ତଡ଼ପଲାଗି ହୋଇ ଭିତରକାଠ ଦର୍ଶନ ହେବ। ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ଓ ଅନ୍ୟ ନୀତି ହେବ ।