ସରିଲା କାଳିଆର ରଥଲୀଳା

ନୀଳକନ୍ଦରକୁ ବିଜେ କଲେ ମହାପ୍ରଭୁ

ସରିଲା କାଳିଆର ରଥଲୀଳା । ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ। ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳକନ୍ଦର ବିଜେ କରିଛନ୍ତି ପ୍ରଭୁ ଚକାଡ଼ୋଳା । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବାର ଦୃଶ୍ୟ ଦେଖି କୃତ୍ୟ କୃତ୍ୟ ହୋଇଥିଲେ । ସମସ୍ତଙ୍କ ଆଖିରେ ଖୁସିର ଲୁହ ଝରି ଆସିଥିଲା ବେଳେ ଶ୍ରୀଜିଉଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟ ମନେ କରିଥିଲେ ।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ। ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ମହାଲକ୍ଷ୍ମୀ। ରଥଯାତ୍ରାରେ ମା’ଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଳଲ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଶ୍ରୀଜଗନ୍ନାଥ।
ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁ ଜୟବିଜୟ ଦ୍ୱାର ନିକଟରେ ବିଜେ ହୋଇଥିଲେ । ସେଠାରେ ମହାପ୍ରଭୁଙ୍କୁ ବାଟ ଓଗାଳିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଉଭୟ ପକ୍ଷର ସେବକଙ୍କ ମଧ୍ୟରେ ପାରମ୍ପରିକ ବାଚନିକ ଲକ୍ଷ୍ମୀ-ନାରାୟଣ କଳିର ବିଧି ସମ୍ପନ୍ନ ହୋଇଥିଲା । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଶୁଦ୍ଧପୂତ ଭାବେ ତିଆରି ହୋଇଥିବା ରସଗୋଲାକୁ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବେଟି ଦେଇଥିଲେ । ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କ ମନ ଜିଣିଥିଲେ । ବର୍ଷକେ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗିବାର ବିଧି ରହିଛି ।
ପବିତ୍ର ବାହୁଡାଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତିକାନ୍ତି ପରିଚାଳନା ସହିତ ଐତିହାସିକ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାରେ ମହାପ୍ରଭୁ ଆଶୀର୍ବାଦ କରିଥିବାରୁ ଏହି ରଥଯାତ୍ରା ବ୍ୟକ୍ତିଗତ ଭାବେ ଅବିସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହା ସମ୍ଭବ ହୋଇଛି, ସମସ୍ତ ସେବକଙ୍କ ଆକୁଣ୍ଠ ସହଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ।

Leave a Reply

Your email address will not be published. Required fields are marked *