ସାମ୍ବାଦିକଙ୍କୁ ମାଡ଼, ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ବଲାଙ୍ଗିରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ଘଟଣା । ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍ କଲେ NHRC । ମାମଲା ଗ୍ରହଣ ସହ ଡିଜିପିଙ୍କୁ NHRC ନୋଟିସ ଜାରି କରିଛନ୍ତି । ୨ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । କୁଳଥିପାଲି ଗାଁରେ ଖବର ସଂଗ୍ରହବେଳେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ହୋଇଥିଲା। ସୂଚନା ଅନୁସାରେ, ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହାର ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇକୁ ବି ପୋଲିସ ଗିରଫ କରିଛି । ସେପଟେ ଘଟଣାକୁ ଗୁରୁତର ସହ ନେଇ NHRC ନିଜ ଆଡୁ ମାମଲା ରୁଜୁ କରିବା ସହ ଡିଜିପିଙ୍କୁ NHRC ନୋଟିସ କରିଛନ୍ତି ।
