ଓଡ଼ିଶା ହାଇକୋର୍ଟଙ୍କ ନୂଆ ରେକର୍ଡ

ଆଜି ଓଡ଼ିଶା ହାଇକୋର୍ଟର ପାଳନ ହେଉଛି ୭୫ବର୍ଷ ପୂର୍ତ୍ତି ଅବସର । ଏହାକୁ ଅନନ୍ୟ କରିବା ଲାଗି ୭୫ ମାମଲାର ରାୟ ପ୍ରକାଶ ହୋଇଛି । ଅର୍ଥାତ ଆଜି ଗୋଟିଏ ଦିନରେ ୭୫ଟି କେସକୁ ସୁଚାର ରୂପେ ସମାଧାନ କରିଛନ୍ତି ମାନ୍ୟବର କୋର୍ଟ ।ଜଷ୍ଟିସ ଦେବବ୍ରତ ଦାସ ଏବଂ ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅପରାଧରେ ବିଭିନ୍ନ ସେସନ୍ସ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରାଯାଇଛି। ଏ ସମସ୍ତ ଅପିଲଗୁଡ଼ିକ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ବିଚାର ପାଇଁ ପଡ଼ିରହିଥିଲା।

ଅଧିକାଂଶ ଆସାମୀ ଜେଲରେ ଥାଇ ଅପିଲ କରିଥିବାବେଳେ ଆଉ କେତେକ ଜାମିନରେ ମୁକ୍ତ ହୋଇଛନ୍ତି। ପ୍ରକାଶିତ ରାୟରେ କେତେକଙ୍କୁ ମୁକ୍ତି ମିଳିଥିବାବେଳେ ଅନ୍ୟ କିଛି ଆବେଦନକାରୀଙ୍କୁ ନିରାଶ ହେବାକୁ ପଡିଥିଲା। ଗତ ଜୁନ ୨୧ ତାରିଖରୁ କ୍ରମାଗତ ଭାବେ ମାମଲା ଉପରେ ଶୁଣାଣି କରିଥିଲେ ହାଇକୋର୍ଟ। ସୂଚନାଯୋଗ୍ୟ, ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ। ଏବଂ ଏଥିରେ ପ୍ରତ୍ଯେକ୍ଷ ଭାବେ ଯୋଗଦାନ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ଦିନକୁ ସାରା ଓଡ଼ିଶା ମନେରଖିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନେ ।