ନବୀନଙ୍କ ନାଁରେ ନୂଆ ରେକର୍ଡ

ରେକର୍ଡ ଭାଙ୍ଗିଲେ ନବୀନ । ନବୀନଙ୍କ ନାଁରେ ଆଜି ଲେଖା ହୋଇଛି ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇ ଏହି ରେକର୍ଡ ବ୍ରେକ କରିଛନ୍ତି ନବୀନ । ଏହି ରେକର୍ଡ ସହ ନବୀନଙ୍କ ରାଜନୈତିକ କ୍ୟାରିଅରରେ ଆଉ ପାଦେ ଆଗକୁ ବଢିଛନ୍ତି । ତେବେ ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ ।

ତା’ପରଠୁ ସେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି।  ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ନବୀନ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ। ସେ ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।

୧୯୯୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି ।