ବର୍ଷ ଶେଷ ସୁଦ୍ଧା ଲାଗୁ ହେବ ନୂଆ ରେଳଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା

ଗୋଟିଏ ମିନିଟରେ ବୁକିଂ ହେବ ଦେଢ଼ ଲକ୍ଷ ଟିକେଟ

ଏ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଲୱେ । ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟରେ ହେବ ଦେଢ଼ ଲକ୍ଷ ଟିକେଟ ବୁକିଂ । ଏବେ ଗୋଟିଏ ମିନିଟରେ ୩୨ ହଜାର ଟିକେଟ୍ ବୁକିଂ ହେଉଛି । ନୂଆ ବ୍ୟବସ୍ଥାରେ ୫ ଗୁଣ ଅଧିକ ଟିକେଟ୍ ବୁକିଂ ହେବ । ଗାଡ଼ି ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକେଟ୍ ତାଲିକା ପ୍ରକାଶ କରାଯିବ । ଟିକେଟ ଅନୁସନ୍ଧାନ କ୍ଷମତାକୁ ମଧ୍ୟ ଦଶ ଗୁଣ ବୃଦ୍ଧି କରାଯିବ । ନୂଆ PRS ବ୍ୟବସ୍ଥାରେ ପ୍ରତି ମିନିଟରେ ୪୦ ଲକ୍ଷ ଟିକେଟ୍ ସଂପର୍କରେ ଅନୁସନ୍ଧାନ କରି ହେବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାକୁ ସ୍ମାର୍ଟ, ସ୍ୱଚ୍ଛ, ସୁଗମ ଏବଂ ଦକ୍ଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନା ଯାତ୍ରୀଙ୍କ ସୁବିଧା ଉପରେ ଧ୍ୟାନ ଦେବ । ନୂଆ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଏକ ସୁଗମ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବ। ଯାତ୍ରାରେ ଅନିଶ୍ଚିତତାକୁ ଦୂର କରିବା ପାଇଁ ଆଗୁଆ ଟିକେଟ୍ ଧାରୀ ଯାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ସମ୍ପ୍ରତି ଟିକେଟ୍ ସଂରକ୍ଷଣ ତାଲିକା ଟ୍ରେନ ଯାତ୍ରା ଆରମ୍ଭ କରିବାର ଚାରି ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଛି। ଏହା ଯାତ୍ରୀଙ୍କ ମନରେ ଅନିଶ୍ଚିତତା ସୃଷ୍ଟି କରୁଛି । ଯେଉଁଠାରେ ଯାତ୍ରୀମାନେ ନିକଟସ୍ଥ ଅଞ୍ଚଳରୁ ଟ୍ରେନ୍ ଧରିବା ପାଇଁ ଆସୁଛନ୍ତି ସେଠାରେ ଏହି ଅନିଶ୍ଚିତତା ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି ।