ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ

ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଓ ଉତ୍ତର-ପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । କିନ୍ତୁ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ଦକ୍ଷିଣପୂର୍ବ ବିଦର୍ଭ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି । ଏହି ଘୂର୍ଣ୍ଣିବଳୟ ସହ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳ ଉପରେ ପୂର୍ବରୁ ରହିଥିବା ଘୂର୍ଣ୍ଣିବଳୟଟି ମିଶି ଯାଇଛି । ଏହା ଆସନ୍ତା ୨୪ ତା‌ରିଖ ଆଡ଼କୁ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଉଛି । ଏହାର ପ୍ରଭାବରେ ୨୫ ତାରିଖରୁ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କା‌ନାଳ ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ସବୁ ଅଞ୍ଚଳ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି ।