ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

‘ରାଜ୍ୟରେ ‘ନୂଆ ଶିକ୍ଷା ନୀତି’ ଓ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ ହେବ ‘

ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟକ୍ରମ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଢ଼ାଂଚାରେ ରାଜ୍ୟରେ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯିବ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’କୁ କାର୍ଯ୍ୟକାରୀ କରାଯିବ । ୩ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଡାକ୍ତର ଅଭାବ ସମସ୍ୟାକୁ ଦୂର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଢ଼ାଂଚାରେ ଏକ ରାଜ୍ୟସ୍ତରୀୟ ଶିକ୍ଷା ନୀତି ପ୍ରଣୟନ କରିବେ । ଉଚ୍ଚଶିକ୍ଷା ବିଶେଷକରି ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ଏହାର ମୂଳ ଲକ୍ଷ୍ୟ ହେବ । ଏହାସହିତ ସ୍କୁଲଗୁଡ଼ିକରେ କାଉନସେଲିଂ ସେଂଟର ସ୍ଥାପନ, ୨୦୩୦ ମସିହା ସୁଦ୍ଧା ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ‘ସକ୍ଷମ ଅଙ୍ଗନବାଡ଼ି’ରେ ପରିଣତ କରିବା ଓ ଶିକ୍ଷକମାନଙ୍କ ପ୍ରଶିକ୍ଷଣରେ ଉନ୍ନତି ଆଣିବାକୁ ମଧ୍ୟ ପଦକ୍ଷେପ ନିଆଯିବ । ସରକାରୀ ସ୍କୁଲଗୁଡ଼ିକରେ ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ଲାଟଫର୍ମ ସୃଷ୍ଟି କରାଯିବ । ୮୦୦ଟି ସରକାରୀ ସ୍କୁଲକୁ ପିଏମଶ୍ରୀ ବିଦ୍ୟାଳୟ ଭାବେ ବକଶିତ କରାଯିବ ।

ସରକାରୀ କ୍ଷେତ୍ରରେ ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀକୁ ପୂରଣ କରାଯିବ । ଆସନ୍ତା ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀ ପୂରଣ ହେବ । ସେହିପରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ‘ଆରୋଗ୍ୟ ମନ୍ଦିର’ରେ ପରିଣତ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଗ୍ରାମାଂଚଳ ପାଇଁ ୧୦ଲକ୍ଷ ଓ ସହରାଂଚଳ ପାଇଁ ୫ଲକ୍ଷ ଆବାସ(ଘର)ର ବ୍ୟବସ୍ଥା କରାଯାଇଛି । ଏଥିରେ ଓଡ଼ିଶାକୁ ୧୯୫୦୦କୋଟି ଟଙ୍କା ମିଳିବ । ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ଗତକାଲିର କେନ୍ଦ୍ର ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।ସେହିପରି ରାଜ୍ୟରେ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ତାଙ୍କ ଉପସ୍ଥିତିରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ୫୦ହଜାର ଟଙ୍କା ଲେଖାଏଁ ମହିଳାମାନଙ୍କୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଏସଏଚଜି ଗୋଷ୍ଠୀ ଜରିଆରେ ରାଜ୍ୟରେ ଆଗାମୀ ୩ବର୍ଷ ମଧ୍ୟରେ ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *