ରଣଭୂମିର ଭ୍ରମ ସୃଷ୍ଟି କରୁଛି ବିଚ୍
ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଶତ୍ରୁକୁ କିଭଳି ମାତ୍ ଦିଆଯାଏ ସେନେଇ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ । ଏଥିପାଇଁ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଯବାନ ମାନେ ଯୁଦ୍ଧାଭ୍ୟାସ ଜାରି ରଖିଥିବାବେଳେ ବ୍ଲୁ ଫ୍ଲାଗ ବିଚ ଏବେ ଯୁଦ୍ଧର ରଣକ୍ଷେତ୍ର ପରି ମନେ ହେଉଛି । ନୌସେନାର ଲଢୁଆ ଯବାନ ବ୍ଲୁ ଫ୍ଲାଗ ବିଚରେ ପ୍ରତିକୂଳ ପାଗକୁ ଖାତିର ନକରି ବିଭିନ୍ନ ଦୁଃସାହସିକ ଯୁଦ୍ଧ କଳା କୌଶଳ ଅଭ୍ୟାସ ଜାରି ରଖିଛନ୍ତି । ବେଳାଭୂମିରେ ଜିପ୍ ଯୁଦ୍ଧ କୌଶଳ, ଲ୍ୟାଣ୍ଡମାଇନ ବିସ୍ପୋରଣ, ଯୁଦ୍ଧ ହେଲିକପ୍ଟରର ଦୁଃସାହସିକ ଉଡାଣ କୌଶଳ ପ୍ରଦର୍ଶନ, ଫ୍ଲାଗ ମାର୍ଚ୍ଚ, ସମୁଦ୍ର ଭିତରୁ ଉଦ୍ଧାର କାର୍ଯ୍ୟ, ଟ୍ୟାଙ୍କ ଗୁଡିକର ଯୁଦ୍ଧ କୌଶଳ, କମାଣ୍ଡଙ୍କ ବନ୍ଧୁକ ଚାଳନା, ଜାହାଜରେ ଯୁଦ୍ଧ ହେଲିକପ୍ଟରର ଅବତରଣ ଏବଂ ଉଡ଼ାଣ, ହେଲିକପ୍ଟରରୁ ଗୋଳା ବର୍ଷଣ, ଜେଟ୍ ବିମାନ ଗୁଡିକର ଯୁଦ୍ଧ କଳା ଏବଂ ଗୋଳା ବର୍ଷଣ, ଆଣ୍ଟି ଏୟାର ଡିଫେନ୍ସ କୌଶଳ, ଯୁଦ୍ଧ ଜାହାଜରୁ ଗୋଳା ବର୍ଷଣ, ଯବାନଙ୍କ ଫାୟାର ଗନ୍ ଡ୍ରିଲ୍ ପ୍ରଭୃତି ଗୋଟିଏ ପରେ ଗୋଟିଏ ଦୁଃସାହସିକ ଯୁଦ୍ଧ କୌଶଳ ଅଭ୍ୟାସ କରିଥିବା ବେଳେ ଏହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଛି ।
ଡିସେମ୍ବର 2ରେ ଡେମୋ, 4ରେ ଫୁଲ ସୋ’:
ଭାରତୀୟ ନୌସେନା ଶତ୍ରୁ ସେନାକୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଦେଶବାସୀଙ୍କୁ ଏହି ଯୁଦ୍ଧ କୌଶଳ ଜରିଆରେ ବାର୍ତ୍ତା ଦେଇଛି ନୌସେନା । ତେବେ ଆଗାମୀ ଦୁଇ ତାରିଖରେ ନୌସେନା ପକ୍ଷରୁ ଯୁଦ୍ଧ କଳା କୌଶଳ ନେଇ ଡେମୋ ସୋ’ ଥିବାବେଳେ ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନୌସେନାର ଯବାନ ମାନେ ଆକାଶ, ଜଳ ଏବଂ ସ୍ଥଳ ପଥରେ ଚୁଡାନ୍ତ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ । ଏହି ପ୍ରଦର୍ଶନ ଦେଖିବାକୁ ପର୍ଯ୍ୟଟକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ନୌସେନା ଦିବସ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା:
ଅନ୍ୟପଟେ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିସହ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ସିଟି ରୋଡ ବାଙ୍କି ମୁହାଣ ଠାରୁ ସମୁଦ୍ର କୂଳ ଥାନା ହରିହର ଛକ ପର୍ଯ୍ୟନ୍ତ ନୋ ମ୍ୟାନ୍ସ ଲ୍ୟାଣ୍ଡ ତଥା ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ସେହିପରି ପର୍ଯ୍ୟଟକଙ୍କ ଯାତାୟତରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ହୋଟେଲ ମାଲିକଙ୍କ ସହ ପୁରୀ ଏସପି ବିନୀତ ଅଗ୍ରୱାଲ ଆଲୋଚନା କରିଛନ୍ତି ।