ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲ ଅବଜରଭେସନ୍ ରୁମ୍ରୁ କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ମମ ପକ୍ଷରୁ ଏକ ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି ।ଗତ ରବିବାର ଅପରାହ୍ନରେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ସମ୍ମମକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ସତେଜ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ବୁଲେଟିନ୍ରେ କୁହାଯାଇଛି । ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପୁଣି ଥରେ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି । ଏଥର ସେ କହିଛନ୍ତି, ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ ।ବିଜେଡି ସୁପ୍ରିମୋ ଡାକ୍ତରୀ ଟିମ୍, ଦଳୀୟ ନେତା, ସମର୍ଥକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅର୍ଥାତ ପରୋକ୍ଷରେ ନବୀନ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ନଆସିବାକୁ କହିଛନ୍ତି ।
