୨୨ରେ ନବୀନ ହେବେ ଦ୍ବିତୀୟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଯୋଡି ହେବ ନୂଆ ରେକର୍ଡ । ସର୍ବାଧିକକାଳ ଶାସନ କ୍ଷମତାରେ ରହିଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇବାକୁ ଯାଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ଏନେଇ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ନିଜର ମତ ରଖିଛନ୍ତି । । ନବୀନ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହେବେ । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ଵନ କୁମାର ଚାମଲିଙ୍ଗ ୨୪ ବର୍ଷ ୧୬୬ ଦିନ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି । ଅପରପକ୍ଷରେ ଓଡ଼ିଶାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ୨୦୨୩ ଜୁଲାଇ ୨୧ ତାରିଖ ସୁଦ୍ଧା ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଆସନ୍ତାକାଲି ସେ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହେବେ । ବିଜୁ ଜନତା ଦଳ ସୁପ୍ରିମୋ ନବୀନଙ୍କ ନେତୃତ୍ବରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀଙ୍କଠାରୁ ଅପୂର୍ବ ସମର୍ଥନ ଲାଭ କରି କ୍ରମାଗତ ବିଜୟୀ ହୋଇ ଶାସନରେ ରହିଛି । ଏବଂ ନବୀନ ପଟ୍ଟନାୟକ ନିଜେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୫ ଥର ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।