ନବମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ ପଟ୍ଟନାୟକ
ବିଜେଡି ସଭାପତି ଭାବେ ନବମ ଥର ପାଇଁ ସେ ଦଳର ମଙ୍ଗ ଧରିବେ । ଆଜି ନୂଆ ଯାତ୍ରା ଆରମ୍ଭ ପାଇଁ ବିଜେଡି ଲାଗି ବିଗ ଡେ । ଶଙ୍ଖ ଭବନରେ ଦିନ ୧୧ଟାରେ ଦଳର କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିସହ ସଭାପତି ଭାବେ ନବୀନଙ୍କ ନାଁ ବିଧିବଦ୍ଧ ଘୋଷଣା ହେବ । ବିଜେଡି ରାଜ୍ୟ ପରିଷଦର ସଦସ୍ୟ ସଂଖ୍ୟା ୩୫୫ । ସେଭିତରୁ ୮୦ ଜଣ ଷ୍ଟେଟ ଏକଜିକ୍ୟୁଟିଭ ସଦସ୍ୟ ଭାବେ ନିର୍ବାଚିତ ହେବେ । ଦଳୀୟ ସଭାପତି ଭାବେ ନବୀନ ନିର୍ବାଚିତ ହେବା କେବଳ ଔପଚାରିକତା ହୋଇଥିବା ବେଳେ ଷ୍ଟେଟ କାଉନସିଲ ଓ ଷ୍ଟେଟ ଏକଜିକ୍ୟୁଟିଭ ଉପରେ ଅଧିକ ଫୋକସ ରହିବ ।
ବିଶେଷକରି ଏଥିରେ କେଉଁମାନେ ସ୍ଥାନ ପାଇବେ କେଉଁମାନେ ବାଦ୍ ପଡ଼ିବେ ତା ଉପରେ ନଜର ରହିଛି । ଏହା ମାଧ୍ୟମରେ ବିଜେଡି ଆଗକୁ ବଢ଼ିବା ଓ ନୂଆ ରୋଡମ୍ୟାପ ପାଇଁ ଯୋଜନାର ବଡ଼ ବାର୍ତ୍ତା ଦେବ । ଏଥର ଆହ୍ବାନଭରା ହେବ ନବୀନଙ୍କ ଇନିଂସ । ୧୯୯୭ ମସିହାରେ ବିଜେଡି ପ୍ରତିଷ୍ଠା ବେଳେ ଯେଉଁ ଆହ୍ବାନ ଥିଲା, ଦଳ ସଭାପତି ନବୀନଙ୍କ ପାଇଁ ଏବେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ଏବେ ବିରୋଧୀ ଦଳରେ । ୨୦୨୪ ନିର୍ବାଚନରେ ବିଜେଡି ପାଇଥିଲା ୪୦.୨୨ ପ୍ରତିଶତ ଭୋଟ । ବିଜେପି ଭୋଟ୍ ହାର ଥିଲା ୪୦.୦୭ ପ୍ରତିଶତ ଭୋଟ୍ । ଭୋଟ ହାର ଦେଖିଲେ ଏବେବି ଲୋକପ୍ରିୟ ଦଳ ବିଜେଡି । ଦଳ ପ୍ରତି ସମର୍ଥନ ବଜାୟ ରଖିବା ସହ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବେ ନବୀନଙ୍କ ପାଇଁ ବଡ ଆହ୍ବାନ ହେବ ।
