ବିଜେପିର ଆଟାକ ବିଜେଡିର କାଉଣ୍ଟର ଆଟାକ୍

ଜୁନ ୯ରେ ଶପଥ ନେବେ ନବୀନ

ବିଜେପି ଆଟାକର କାଉଣ୍ଟର ଆଟାକ କରିଛି ବିଜେଡି । ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ । ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନ ଶେଷ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ କହି ପାଣ୍ଡିଆନ ମାଷ୍ଟରଷ୍ଟ୍ରୋକ ମାରିଥିବା ଚର୍ଚ୍ଚା ହେଉଛି । ଏହାସହ ପାଣ୍ଡିଆନ କହିଛନ୍ତି, ଯିଏ କହିଲେ ବି ଓଡ଼ିଶାରେ କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି ପାଣ୍ଡିଆନ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ସଭାରେ କହିଥିଲେ, ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । କିନ୍ତୁ ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଭଲ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ବିଭିନ୍ନ ଜନାଭିମୁଖୀ ଯୋଜନାର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି ।