ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ
ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ । ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ! । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ନାସାର ଶକ୍ତିଶାଳୀ SLS ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ରକେଟ୍ ଚାରିଜଣ ମହାକାଶଚାରୀଙ୍କୁ ଧରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଆମେରିକା ସମୟ ସନ୍ଧ୍ୟା ୬ଟା ୩୫ ତଥା ଭାରତୀୟ ସମୟ ଭୋର ୪ଟା ୫ରେ ‘ଆର୍ଟେମିସ୍-୨’କୁ ଉତକ୍ଷେପଣ କରାଯାଇଥିଲା । ୧୯୭୨ ମସିହାର ‘ଆପୋଲୋ ୧୭’ ମିଶନ ପରେ ଏହା ପ୍ରଥମ ମାନବବାହୀ ଚନ୍ଦ୍ର ମିଶନ । ଏହି ମିଶନର ନେତୃତ୍ୱ ନେଉଛନ୍ତି କମାଣ୍ଡର ରିଡ୍ ୱାଇଜମ୍ୟାନ୍। ତାଙ୍କ ସହ ପାଇଲଟ୍ ଭାବେ ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଭିକ୍ଟର ଗ୍ଲୋଭର , କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ୍ ରହିଛନ୍ତି। ‘ଆର୍ଟେମିସ୍-୨’ ଏକ ପରୀକ୍ଷାମୂଳକ ମିଶନ। ଏଥିରେମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି । ଆସନ୍ତା ଏପ୍ରିଲ ୧୦ ତାରିଖ ବେଳକୁ ଏହି ମହାକାଶ ଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ସୂଚନା ରହିଛି । ନାସା ମୁଖ୍ୟ ବିଲ୍ ନେଲସନ କହିଛନ୍ତି ଯେ, ଏହି ମିଶନ କେବଳ ଚନ୍ଦ୍ର ନୁହେଁ ବରଂ ଆଗକୁ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏକ ବଡ଼ ପଦକ୍ଷେପ । ଏହି ‘ଆର୍ଟେମିସ୍-୨’ ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ରରେ ମଣିଷର ସ୍ଥାୟୀ ଉପସ୍ଥିତି ବଜାୟ ରଖିବା ଏବଂ ‘ଲୁନାର ଗେଟ୍ ୱେ’ ମହାକାଶ କେନ୍ଦ୍ର ସ୍ଥାପନ କରିବା, ଯାହା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏକ ପ୍ରଥମ ପାହାଚ ସଦୃଶ ହେବ ।
