ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ

‘ମେରା ଭାରତ ମେରା ପରିବାର’

ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା କଂଗ୍ରେସ। ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ, ଚାଷୀଙ୍କୁ ଶସ୍ତାରେ କେମିତି ଦେବ। ଗରିବ ଲୋକ ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା। ଛାତ୍ର, କୃଷକ କିଛି ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା। ୨୦୧୪ ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା। ଯିଏ ଗ୍ୟାରେଣ୍ଟି ମାଗିଲା, ତାର ଗ୍ୟାରେଣ୍ଟି ମୋଦି ନେଲା। ଜନଧନ ଖାତା ଖୋଲିଲୁ, ମୋଦି ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା। ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ। ଆଜି ବିଶ୍ୱାସ ଜନ୍ମିଛି, ମୋଦି ଗରିବଙ୍କ ସାଥିରେ ଅଛି। ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି। ପିଏମ୍‌ ସ୍ବନିଧି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମିଳୁଛି। ପିଏମ୍‌ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି। ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ବାସ୍ତବତା ପାଲଟିଛି। ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦିର ଆରମ୍ଭ ହୁଏ। ଏହା ହିଁ ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ତିଆ ମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି, କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି। ଇଣ୍ଡି ମେଣ୍ଟ ଲୋକମାନେ ଏବେ ମୋଦିକୁ ସମାଲୋଚନା କରୁଛନ୍ତି। ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି। ଇଣ୍ଡି ମେଣ୍ଟର ବିଚାରଧାରା ପରିବାର ପ୍ରଥମ ହେଲେ ମୋଦିର ବିଚାରଧାରା ଦେଶ ପ୍ରଥମ। ସେମାନେ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ। ମୋଦି କୋଟି କୋଟି ପୁଅଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ। ଇଣ୍ଡି ମେଣ୍ଟର ଲକ୍ଷ୍ୟ ମୋଦିକୁ ହଟାଇବା। ମୋଦିର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା। ସେମାନେ ନିଜ ପରିବାର ପାଇଁ ବଡ଼ ବଡ଼ ମହଲ ବନାଉଛନ୍ତି। ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି। ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛି। ମୋଦିର ନାରା ମେରା ଭାରତ ମେରା ପରିବାର। ଏହି କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି। କାଲିଠାରୁ କୋଟି କୋଟି ଲୋକ ମୁଁ ମୋଦି ପରିବାରର କହୁଛନ୍ତି। ଓଡ଼ିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ଆଶା ରଖିଛି।