ମୋଦୀ ଗ୍ୟାରେଣ୍ଟି ସମାବେଶରେ ରାଷ୍ଟ୍ରପତିଙ୍କ ନାଁ ନେଇ କଂଗ୍ରେସକୁ ସିଧା ନିଶାନା

ରାଷ୍ଟ୍ରପତିଙ୍କ ନାଁ ନେଇ କଂଗ୍ରେସକୁ ସିଧା ନିଶାନା

ମୋଦୀ ଗ୍ୟାରେଣ୍ଟି ସମାବେଶରେ ରାଷ୍ଟ୍ରପତିଙ୍କ ନାଁ ନେଇ କଂଗ୍ରେସକୁ ସିଧା ନିଶାନା କଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସହ ସାରା ଦେଶର ବିକାଶର ଗ୍ୟାରେଣ୍ଟି ନେଲେ ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ବିକାଶ ବିରୋଧୀ ଆଦିବାସୀ ବିରୋଧୀ ଓ ଗରିବଙ୍କ ବିରୋଧୀ ବୋଲି ମୋଦୀ ଜନସମାବେଶରେ ସମାଲୋଚନା କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥିକ ଦଳ କିଭଳି ବିରୋଧ କରିବା ପାଇଁ ପୂରା ଶକ୍ତି ଲଗାଇଦେଇଥିଲେ ତାହା ସମାବେଶରେ ବୟାନ କରିଥିଲେ । ବିକାଶକୁ ସର୍ବାଗ୍ରେ ରଖି କହିଲେ ମୋଦୀ ଗ୍ୟାରେଣ୍ଟି ସେହିଠୁ ଆରମ୍ଭ ହୁଏ ଯେଉଁଠି ଅନ୍ୟମାନଙ୍କ ଗ୍ୟାରେଣ୍ଟି ଆଶା ଶେଷ ହୋଇଯାଏ । ମୋଦୀ ଗରିବଙ୍କ ପାଇଁ ଗ୍ୟାରେଣ୍ଟି ନିଅନ୍ତି ଯାହାର କେହି ନାହାନ୍ତି ତାର ମୋଦୀ ଅଛନ୍ତି ବୋଲି ଜନସମାବେଶରେ ବଡ ଗ୍ୟାରେଣ୍ଟି ନେଇଥିଲେ ମୋଦୀ । ମୋଦୀ ଭାଜପା ସରକାର ସମୟରେ ଓଡ଼ିଆ ମାନଙ୍କୁ କିଭଳି ମହିମା ମଣ୍ଡିତ କରାଯାଇଥଛି ସେ ବିଷୟରେ କହି ବକ୍ତବ୍ୟ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇଥିଲେ । ୨ ଦିନ ତଳେ ଓଡ଼ିଆରେ ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷାଣ କଥା ମୋଦୀ ଉଲ୍ଲେଖ କରିଥିଲେ । ତେବେ ଏହି ରାଷ୍ଟ୍ରପତି ନିର୍ବାଚନ ସମୟରେ ଆଦିବାସୀ ସମାଜରୁ ଆସିଥିବା ଓଡ଼ିଆ ଝିଅଙ୍କୁ କିଭଳି କଂଗ୍ରେସ ତୀବ୍ର ବିରୋଧ କରିଥିଲା ସେନେଇ ତୀବ୍ର ସମାଲୋଚନା କରିଥିଲେ । ମୋଦୀ କହିଥିଲେ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ ସାରା ଆଦିବାସୀ ସମାଜକୁ ବିରୋଧ ଓ ତାଙ୍କ ପ୍ରିୟ ରାଜ୍ୟ ଓଡ଼ିଶାର ବିରୋଧ । ଏହାସହ ୨୦୧୪ ପୂର୍ବରୁ କଂଗ୍ରେସ ନେତା ଯେତେବେଳେ ଓଡ଼ିଶା ଆସୁଥିଲେ କଳାହାଣ୍ଡି ଯାଇ ଆଦିବାସୀଙ୍କ ସହ ଫଟୋ ଉଠାଉଥିଲେ ଓ ଏହା ଗଣମାଧ୍ୟମରେ ପ୍ରକାଶ ହେଉଥିଲା । ଯାହା ଓଡିଶାକୁ ଏକ ଗରିବ ରାଜ୍ୟ ବୋଲି ଚିତ୍ରଣ କରୁଥିଲା ଆଉ ଓଡ଼ିଶାକୁ ଅପମାନ କରୁଥିଲା । ଯେଉଁଠି ମହାପ୍ରଭୁ ଜଗନ୍ନାଥ, ସୂର୍ଯ୍ୟ ଦେବତାଙ୍କ ଭବ୍ୟ କୋଣାର୍କ ରହିଛି ସେହି ରାଜ୍ୟକୁ ବଦନାମ କରିବାକୁ କଂଗ୍ରେସ ମହାପାପ କରିଛି ମୋଦୀ କହିଥିଲେ । ଅନ୍ୟପକ୍ଷରେ ଓଡ଼ିଶାକୁ ମହିମାମଣ୍ଡିତ କରିବାକୁ ସବୁ ପ୍ରକାର ଉଦ୍ୟମ କରିଛି ଭାଜପା ସରକାର । ଜି-୨୦ ବୈଠକ ଓଡ଼ିଶାରେ ହୋଇଛି । ଦିଲ୍ଲୀ ଜି-୨୦ ବୈଠକରେ କୋଣାର୍କ ଚକ୍ର ରଖା ଯାଇ ଓଡ଼ିଶା କଳା ସଂସ୍କୃତି ବିଷୟରେ ବଡ଼ ବାର୍ତ୍ତା ଦିଆଯାଇଛି ।