‘ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ’
ଏଥର ଅଧିକ ଆଗ୍ରେସିଭ୍ ମୁଡ୍ରେ ମୋଦି । ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ । ମୋଦି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ନବୀନ ସରକାର । ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି । ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ? ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ ରତ୍ନ ଭଣ୍ଡାର । ରତ୍ନ ନେଉନଥିଲା ତ ଡୁପ୍ଲିକେଟ୍ ଚାବିରେ । ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ । ଏଥିପାଇଁ କମିଶନ ବସିଲା କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ । ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।