ନିଜ ମୃତ୍ୟୁର ନିଜେ ସାକ୍ଷୀ ନବ ଦାସ !

କ୍ରାଇମବ୍ରାଞ୍ଚର ଚାର୍ଜସିଟ ନେଇ ବଢିଲା ସନ୍ଦେହ !

ଏବେବି ରହସ୍ୟ ଘେରରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ। ନବଦାସଙ୍କ ହତ୍ୟା ଘଟଣାକୁ ୫ମାସରୁ ଊର୍ଦ୍ଧ୍ଵ ସମୟ ବିତିଥିଲେ ମଧ୍ୟ ଏଯାଏଁ ଘଟଣା ଉପରୁ ହଟିପାରୁନି ପରଦା । ସେପଟେ ଅଭିଯୁକ୍ତ ଗୋପାଳ କାହିଁକି ମାରିଲା ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ। କିନ୍ତୁ ଏହାରି ଭିତରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ନିଜ ମୃତ୍ୟୁର ସାକ୍ଷୀ ନିଜେ ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ । ଏ କଥା ଆମେ କହୁନୁ ଏହା କହୁଛି କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ। ଚାର୍ଜସିଟ୍ ଅନୁସାରେ ନିଜ ମୃତ୍ୟୁର ନିଜେ ସାକ୍ଷୀ ବନିଛନ୍ତି ନବ ଦାସ । ତେଣୁ ଜଣେ ମୃତବ୍ୟକ୍ତି କିଭଳି ନିଜର ପ୍ରଥମ ସାକ୍ଷୀ ସାଜିଲେ ଏନେଇ ଉଠିଛି ଅନେକ ପ୍ରଶ୍ନବାଚୀ।

ତେବେ ନବ ଦାସଙ୍କ ହତ୍ୟା ମାମଲାରେ ଝାରସୁଗୁଡା ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ୍ ଦାଖଲ କରିଛି ଚାର୍ଜସିଟ୍ । ହେଲେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ହୋଇଥିବା ଏତେ ବଡ ଭୁଲକୁ ନେଇ ଏବେ ସବୁଠି କ୍ରାଇମବ୍ରାଞ୍ଚର କାର୍ଯ୍ୟଦକ୍ଷତା ଉପରେ ଉଠିଛି ବଡ ପ୍ରଶ୍ନବାଚୀ । ଏହି ଚାର୍ଜସିଟ୍ ଅନୁସାରେ ନିଜ ମୃତ୍ୟୁର ନିଜେ ସାକ୍ଷୀ ବନିଛନ୍ତି ନବ ଦାସ । ନବ ଦାସ ହତ୍ୟାକାଣ୍ଡରେ ମୋଟ୍ ୭୯ ଜଣ ସାକ୍ଷୀ ରହିଥିବାବେଳେ ପ୍ରଥମ ସାକ୍ଷୀ ହେଉଛନ୍ତି ମୃତ ନବ କିଶୋର ଦାସ ।

କୁହାଯାଉଛି ନବ ଦାସଙ୍କ ଦେହରେ ଗୁଳି ବାଜିବା ପରେ ହତ୍ୟା ଉଦ୍ୟମ ନେଇ ମାମଲା ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କଲେ । ତେଣୁ କୋର୍ଟରେ ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ଚାର୍ଜସିଟରେ ଜଣେ ମୃତବ୍ୟକ୍ତି କିଭଳି ପ୍ରଥମ ସାକ୍ଷୀ ପାଲଟିଲେ ବୋଲି ପ୍ରଶ୍ନ ଉଠିଛି । ଏ ସବୁ ପରେ କାହିଁକି ଓ କେଉଁ କାରଣରୁ ନବ ଦାସଙ୍କୁ ଗୁଳି କରି ହତ୍ୟା କଳା ଗୋପାଳ ତାର ରହସ୍ୟ ଉପରୁ ହଟିନି ପରଦା ।