କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ
ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି ହାଇକୋର୍ଟ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ କୁମ୍ଭାରରଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମାଲାରେ ପୁରୀ ପୌରପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା । ଏହାସହ ବୁଲା କୁକୁର କାମୁଡାରେ କାହାରି ମୃତ୍ୟୁ ହେଲେ କ୍ଷତିପୁରଣ ଦେବା ପାଇଁ ମ୍ୟୁନିସିପାଲଟି ଆକ୍ଟରେ କୌଣସି ବ୍ୟବସ୍ଥା ନଥିବା ସତ୍ୟପାଠରେ ଦର୍ଶାଇଥିଲା ପୁରୀ ପୌରପରିଷଦ । ଏହି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।