ଟ୍ରମ୍ପଙ୍କ ଡିନର ପାର୍ଟିରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ
ଡୋନାଲଡ ଟ୍ରମ୍ପଙ୍କ ଡିନର ପାର୍ଟିରେ ସାମିଲ ହେଲେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ଅମ୍ବାନୀ ଦମ୍ପତ୍ତି। ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଅମ୍ବାନୀ ଦମ୍ପତ୍ତି ଆଶାବ୍ୟକ୍ତ କରିଥିଲେ । ଏଥିସହିତ ଟ୍ରମ୍ପଙ୍କ ପରିବର୍ତ୍ତନକାରୀ ନେତୃତ୍ବରେ ଦୁଇ ରାଷ୍ଟ୍ରର ବିକାଶ ହେବା ସହ ସମଗ୍ର ବିଶ୍ବର ବିକାଶ ହେବ ବୋଲି ଅମ୍ବାନୀ ଶୁଭକାମନା ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇ ଅମ୍ବାନୀ ଦମ୍ପତ୍ତି ଆମେରିକା ଯାତ୍ରା କରି ଏହି ପାର୍ଟିରେ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହରେର ବିଶ୍ବର ସବୁଠାରୁ ପ୍ରଭାବଶାଳୀ କୋଟିପତି ଓ ରାଜନେତାଙ୍କ ସମେତ ବିଦେଶୀ ନେତାମାନେ ସାମିଲ ହେବାର ସମ୍ଭାବନା ରହିଛି । ଜାନୁଆରୀ ୧୮ରେ ଅମ୍ବାନୀ ଦମ୍ପତ୍ତି ଆମେରିକାର ରାଜଧାନୀ ଓ୍ବାଶିଂଟନରେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ରାତ୍ରିଭୋଜନରେ ଅମ୍ବାନୀ ବୋଧହୁଏ ଏକମାତ୍ର ଭାରତୀୟ ଭାବେ ସାମିଲ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଟ୍ରମ୍ପଙ୍କ ପରିବାରର ବ୍ୟକ୍ତିଗତ ନିମନ୍ତ୍ରିତ ଅତିଥି ଭାବେ ଅମ୍ବାନୀ ଆଜି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଅମ୍ବାନୀ ପରିବାର ସହ ଟ୍ରମ୍ପଙ୍କ ପରିବାରର ଘନିଷ୍ଠ ସମ୍ପର୍କ ରହିଛି । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡୋନାଲଡ ଟ୍ରମ୍ପ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।
